ମୋ ଦେଶ ଭାରତ | My country India- Best Odia Essay

My country India

ଯାହାର ପାଣିପବନରେ ମୋର ଶରୀରଗଢ଼ା, ସେହି ମୋର ମାତୃଭୂମି ଭାରତ । ଏହା ବିଶ୍ଵର ସପ୍ତମ ବୃହତ୍ତମ ଦେଶ । ଏକ ବିଶାଳ ଦେଶ ଯୋଗୁଁ ଏହାକୁ “ ଉପମହାଦେଶ” ଭାବରେ ନାମିତ କରାଯାଇଛି । ଏହା ପୃଥିବୀର ଦ୍ଵିତୀୟ ଲୋକସଂଖ୍ୟା ବିଶିଷ୍ଟ ରାଷ୍ଟ୍ର । ଏହାକୁ ହିନ୍ଦୁସ୍ଥାନ ଓ ଆର୍ଯ୍ୟାବର୍ରଭାବରେ ମଧ୍ୟ ଉଲ୍ଲେଖ କରାଯାଏ । କର୍କଟକ୍ରାନ୍ତି ମୋ ଦେଶର ମଧ୍ୟଭାଗଦେଇ ଯାଇଥିବାରୁ ଏହାଦେଶକୁ ଉତ୍ତରଭାରତ ଓ ଦକ୍ଷିଣଭାରତ ଏଇ ଦୁଇ ଭାଗରେ ବିଭକ୍ତ କରୁଛି । ଭାରତ ତିନି ପାର୍ଶ୍ବରୁ ସମୁଦ୍ର ବେଷ୍ଟିତ ଯଥା – ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଆରବସାଗର ଓ ଦକ୍ଷିଣରେ ଭାରତ ମହାସାଗର ।

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ରଚିତ “ ଜନଗଣମନ” ମୋ ଦେଶର ଜାତୀୟ ସଙ୍ଗୀତ । ବଙ୍କିମଚନ୍ଦ୍ରଙ୍କ “ବନ୍ଦେମାତରଂ” ମଧ୍ୟ ଅନୁରୂପ ମାନ୍ୟତା ଲାଭ କରିଛି । ବ୍ୟାଘ୍ର ମୋ ଦେଶର ଜାତୀୟ ପଶୁ, ମୟୂର ହେଉଛି ଜାତୀୟ ପକ୍ଷୀ ଓ ପଦ୍ମପୁଲ ହେଉଛି ଜାତୀୟ ପୁଷ୍ପ ।

ମୋ ଦେଶର ଜାତୀୟ ପତାକା ତ୍ରିରଙ୍ଗାଭାବରେ ନାମିତ । ଏଥିରେ କେଶରୀ, ଧଳା ଓ ସବୁଜ ରଙ୍ଗର ସମାହାର ଘଟିଛି । ଅଶୋକଚକ୍ର ଏହାର ମଧ୍ୟଭାଗରେ ସ୍ଥାନ ପାଇଛି । ମୋ ଦେଶ ହେଉଛି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର, ପ୍ରଭୁ ଶ୍ରୀକୃଷ୍ଣ, ବୁଦ୍ଧ ଓ ମହାତ୍ମାଗାନ୍ଧୀଙ୍କ ଦେଶ । ଏଠାରେ ବହୁଧର୍ମ, ଜାତି, ଭାଷା ଓ ସଂସ୍କୃତିର ଲୋକମାନେ ଶାନ୍ତିପୂର୍ଣ୍ଣଭାବରେ ବହୁକାଳରୁ ବସବାସ କରୁଛନ୍ତି । ସେଥପାଇଁ ମୋ ଦେଶ “ ବିବିଧତା ମଧ୍ୟରେ ଏକତା” ର ଗୌରବ ବହନ କରେ ।

ଏହି ଦେଶରେ ଆଧ୍ୟାତ୍ମିକତା, ଦର୍ଶନ, ବିଜ୍ଞାନ ଓ ବୈଷୟିକଜ୍ଞାନର ଅପୂର୍ବ ସମ୍ମିଶ୍ରଣ ଘଟିଛି । ଏଠାରେ ବିଭିନ୍ନ ଧର୍ମାବଲମ୍ବୀ; ଯଥା – ହିନ୍ଦୁ, ଇସଲାମ୍, ଜୈନ, ଶିଖ୍, ଖ୍ରୀଷ୍ଟିଆନ୍‌ ପ୍ରଭୃତି ଭାରତର କୋଣ ଅନୁକୋଣରେ ଶାତି ସୌହାର୍ୟ୍ୟର ସହ ବସବାସ କରୁଛନ୍ତି । ଏହି ଦେଶ ଏକ କୃଷିପ୍ରଧାନ ଦେଶ । କୃଷି ଓ କୃଷକ ଆମ ଦେଶର ମେରୁଦଣ୍ଡ । ବିଭିନ୍ନ ପ୍ରକାର ଶସ୍ୟ, ତୈଳବୀଜ, ଫୁଲ ଓ ଫଳ ପ୍ରଭୃତି ମୋ ଦେଶର ମାଟିରୁ ଉତ୍ପାଦିତ ହୋଇଥାଏ । ମୋ ଦେଶର ସାହିତ୍ୟ, ସଂସ୍କୃତି, ଭାଷା ଓ ପର୍ଯ୍ୟଟନସ୍ଥଳୀ ବିଦେଶୀମାନଙ୍କୁ ଆକର୍ଷିତ କରିଥାଏ ଐତିହାସିକ ଇମାରତ୍, କାରୁକାର୍ଯ୍ୟପୂର୍ଣ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଆଗ୍ରାର ତାଜମହଲ, ଫତେପୁର ସିକ୍ରି, ସ୍ବର୍ଣ୍ଣମନ୍ଦିର, କୁତବମୀନାର, ଲାଲକିଲ୍ଲା, ଉଟି, କାଶ୍ମୀର, ଖଜୁରାହୋ, ଅଜନ୍ତା ଓ ଏଲୋରାଗୁମ୍ଫା, କୋଣାର୍କର ସୂର୍ଯ୍ୟମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଦି ପ୍ରସିଦ୍ଧ ।

ମୋ ଦେଶରେ ବଡ଼ବଡ଼ ନଦୀ, ପର୍ବତଶ୍ରେଣୀ, ଉପତ୍ୟକା, ହ୍ରଦ ଓ ସମୁଦ୍ର ପ୍ରଭୃତି ଈଶ୍ବରଙ୍କ ବରଦାନ । ହିନ୍ଦୀ ମୋ ଦେଶର ରାଷ୍ଟ୍ରଭାଷା । ୨୯ଟି ପ୍ରଦେଶ ଓ ସାତଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ମୋ ଦେଶ ଗଠିତ ।

ଏହି ଦେଶରେ ଅନେକ ମହାପୁରୁଷ, ସ୍ବାଧୀନତା ସଂଗ୍ରାମୀ, ସାରସ୍ବତ ସାଧକ ଓ ବୀରପୁରୁଷ ଜନ୍ମଗ୍ରହଣ କରି ଏ ମାଟିକୁ ଧନ୍ୟ କରିଛନ୍ତି । ଭାରତୀୟ ସୈନ୍ୟମାନେ ଏହାର ସୀମାକୁ ରକ୍ଷା କରିବାପାଇଁ ସଦା ଜାଗ୍ରତ ଅଛନ୍ତି । ବିଶିଷ୍ଟ ମହାପୁରୁଷ ଓ ଜନନାୟକମାନଙ୍କ ମଧ୍ୟରେ ଛତ୍ରପତି ଶିବାଜୀ, ମହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ଡ. ଆମ୍ବେଦକର, ବିଶିଷ୍ଟ ବୈଜ୍ଞାନିକଙ୍କ ମଧ୍ୟରେ ଜଗଦୀଶଚନ୍ଦ୍ର ବୋଷ, ହୋମିଭାବା, ଚନ୍ଦ୍ରଶେଖର ରମଣ, ଜୟନ୍ତ ନର୍ଲିକର ପ୍ରଭୃତି ଏ ଦେଶକୁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଗାନ୍ଧିଜୀଙ୍କ ନେତୃତ୍ବରେ ଅହିଂସା ଓ ସତ୍ୟାଗ୍ରହ ମାଧ୍ୟମରେ ମୋ ଦେଶ ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ସ୍ଵାଧୀନତା ଲାଭ କରିଥିଲା । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଦେଶରେ ଗ୍ରହଣ କରାଯାଇଥିବା ସମ୍ବିଧାନକୁ ଆଧାର କରି ମୋ ଦେଶ ଏକ ସାର୍ବଭୌମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ରାଷ୍ଟ୍ରଭାବରେ ସାରା ପୃଥିବୀରେ ପରିଚିତ ।

ମୋ ଦେଶ ଭାରତରେ ଦୂରସଂଚାର ଓ ଶିଳ୍ପକରଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିଚାଲିଛି ମାତ୍ର ଏବେ ସୁଦ୍ଧା ଦେଶରେ ବେକାରୀ ସମସ୍ୟା, ବ୍ୟାଧ, ଦୁର୍ନୀତି, ଦାରିଦ୍ର୍ୟ ପ୍ରଭୃତି ସମସ୍ୟା ରହିଛି । ଅନେକ ବିବିଧତାରେ ପରିପୂର୍ଣ୍ଣ ଏହି ପ୍ରାଚୀନ ରାଷ୍ଟ୍ର ଆମର ମାତୃଭୂମି ଆମର ଚିରନମସ୍ୟ । ଏଭଳି ବିବିଧତା ଓ ବୈଚିତ୍ରତାରେ ପରିପୂର୍ଣ୍ଣ ରାଷ୍ଟ୍ର ସମଗ୍ର ପୃଥିବୀରେ ବିରଳ ।

Country India

Also read:-

Leave a Comment