ଗ୍ରୀଷ୍ମଋତୁ | Summer Season- Best Odia Essay

Summer Season

ଋତୁଚକ୍ର ବିବର୍ତ୍ତନ ମଧ୍ୟରେ ବସନ୍ତ ଋତୁର କମନୀୟ ଶୋଭା ପ୍ରଭୃତି କ୍ରମେ ରୁକ୍ଷ, ନୀରସ ଓ ନିଷ୍ଠୁର ହୋଇଉଠେ ଗ୍ରୀଷ୍ମ ଋତୁର ଆଗମନୀ ଘୋଷଣାକରି । ଆଉ ନଥାଏ କୋକିଳର କୁହୁଧ୍ବନି ବା ମନ୍ଦ ମଧୁର ମଳୟର ମଧୁର ପରଶ – ରୁଦ୍ର, କଠୋର ଗ୍ରୀଷ୍ମର ଆଗମନ ସତେ ଅବା ପ୍ରକୃତି ଜଗତକୁ ନୀରସ, ନିର୍ମମ ବାସ୍ତବକୁ ଠେଲି ଦିଏ ।

ଓଡ଼ିଶାରେ ବୈଶାଖ ଓ ଜ୍ୟେଷ୍ଠ ଏହି ଦୁଇମାସ ଗ୍ରୀଷ୍ମଋତୁର ଅନ୍ତର୍ଗତ । ଇଂରାଜୀ ମାସ ଅନୁସାରେ ଏହା ମାର୍ଚ୍ଚ ମାସର ମଧ୍ୟଭାଗରୁ ଆରମ୍ଭ ହୋଇ ଜୁନ୍ ମାସର ମଧ୍ୟଭାଗରେ ଶେଷ ହୁଏ । ତେଣୁ କବି ଲେଖୁଛନ୍ତି

“ ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠମାସ

ପ୍ରଚଣ୍ଡ ରୌଦ୍ର ପରକାଶ ।”

ଗ୍ରୀଷ୍ମର ଆଗମନରେ ସବୁଜ ସୁନ୍ଦର ଧରାପୃଷ୍ଠ ରୁକ୍ଷ, ନୀରସ ହୋଇଉଠେ । ପଡିଆ ଗୁଡ଼ିକରୁ ଶ୍ୟାମଳ ଦୂବଘାସଗୁଡ଼ିକ ଜଳିପୋଡ଼ି ଯିବା ଫଳରେ ସେଗୁଡ଼ିକ ଶୁଷ୍କ ଓ ଟାଙ୍ଗର ହୋଇଯାଏ । ଗଛଗୁଡ଼ିକରୁ ଶୁଖପତ୍ର ଝଡିଯାଏ । ଅନେକ ଗଛଲତା ପ୍ରଚଣ୍ଡ ଖରା ସହିନପାରି ମରିଯା’ନ୍ତି । ନଦୀ, ନାଳ, କୂପ, ପୁଷ୍କରିଣୀଗୁଡ଼ିକରୁ ଜଳ ଶୁଖ୍ୟାଏ । ଜଳବିନା ଜୀବଜଗତ ହାହାକାର କରିଉଠନ୍ତି । ମନୁଷ୍ୟ, ଗାଈଗୋରୁ, ଛେଳି, ମେଣ୍ଢା, ବଣର ପଶୁଗୁଡ଼ିକ, ଏପରିକି ପକ୍ଷୀଜଗତ ମଧ୍ୟ ଜଳକଷ୍ଟ ସହିନପାରି ଅକାଳରେ ମୃତ୍ୟୁମୁଖରେ ପଡନ୍ତି । ଖାଲି ଆଖୁରେ ଗ୍ରୀଷ୍ମ ମଧ୍ୟାହ୍ନରେ ବାହାରକୁ ଚାହିଁ ହୁଏନାହିଁ । ଚତୁର୍ଦ୍ଦିଗରେ ମୁଣ୍ଡଫଟା ଖରାର ଶିକାର ହୋଇ ଅଂଶୁଘାତଜନିତ ପୀଡାରେ ଅନେକ ମୃତ୍ୟୁବରଣ କରନ୍ତି । ଉତ୍ତପ୍ତ ମଧ୍ୟାହ୍ନରେ ତାତିଲା ଧୂଳିଝଡ଼ ଆକାଶରେ ଖଣ୍ଡିଆଭୂତ ସୃଷ୍ଟିକରେ । ସକାଳ ୧୦ ଘଣ୍ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୁଏ । ବଣ, ବିଲ, ପ୍ରାନ୍ତରରେ ମରୀଚିକା ଦୃଷ୍ଟିଗୋଚର ହୁଏ । ଜଙ୍ଗଲରେ ନିଆଁଲାଗି ବଣ୍ୟଜନ୍ତୁ ଓ ଅରଣ୍ୟସଂପଦ ନଷ୍ଟ ହୁଏ ।

ଜଳ ଅଭାବରୁ ଚାଷକାର୍ଯ୍ୟ ବନ୍ଦ ହୋଇଯାଏ । ଫଳରେ ପନିପରିବାର ପ୍ରଚୁର ଅଭାବ ଅନୁଭୂତ ହୁଏ । ଏହି ସମୟରେ ସାମାନ୍ୟ ଶ୍ରମରେ ଅଧିକ କ୍ଳାନ୍ତି ଅନୁଭବ ହୁଏ । ଏଣୁ କର୍ମମୟ ଜୀବନ ବାଧାପ୍ରାପ୍ତ ହୁଏ । ବାଡିବଗିଚାର ଶୋଭା ନଷ୍ଟ ହୋଇଯାଏ । ପ୍ରଚଣ୍ଡ ଗ୍ରୀଷ୍ମର ଉତ୍ତପ୍ତ ପରିବେଶରେ ଜନଜୀବନ ଅତିଷ୍ଠ ହୋଇଉଠେ । ତେବେ ସୂର୍ଯ୍ୟ ପଶ୍ଚିମାକାଶରେ ଅସ୍ତ ହେବାପରେ ଏହି ଉତ୍ତପ୍ତ ପରିବେଶ ଧୀରେ ଧୀରେ ଶାନ୍ତ ହୁଏ । ଏଣୁ ଗ୍ରୀଷ୍ମ-ସନ୍ଧ୍ୟାରେ ପଲ୍ଲ ଅଙ୍ଗନରେ କିଛି ଅଂଶରେ ଶୀତଳବାୟୁ ସେବନ ସୁଯୋଗ ମିଳିଥାଏ ।

ଗ୍ରୀଷ୍ମଋତୁରେ ପ୍ରାଣୀଜଗତ ବିକଳ ହୋଇଉଠନ୍ତି । ଅବଶ୍ୟ ଧନୀ ଲୋକମାନେ ବିଦ୍ୟୁତ୍‌ଚାଳିତ ପଙ୍ଖା ତଥା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଗୁଡ଼ିକର ଉପଯୋଗିତା ମାଧ୍ୟମରେ ଗ୍ରୀଷ୍ମ-ମଧ୍ୟାହ୍ନର କଷ୍ଟ ଦୂର କରିପାରିଥାନ୍ତି । ମାତ୍ର ଦରିଦ୍ର ବ୍ୟକ୍ତିମାନେ ତାଳପତ୍ର ବିଞ୍ଚଣାରେ ବିହୋଇ ଏହି କଷ୍ଟ ସହ୍ୟ କରନ୍ତି | ଏହି ସମୟରେ ଜଳାଭାବରୁ ଦୂଷିତ ଜଳ ପାନକରି ଲୋକମାନେ ହଇଜା, ଝାଡାବାନ୍ତି, ହାଡ଼ଫୁଟି, କାମଳ ଆଦି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସବୁଆଡ଼େ ଫୁଟି, ତରଭୁଜ, ଆଖୁରସ, ପଇଡ଼ ପାଣି, ବେଲପଣା ଓ ଆଇସକ୍ରିମ୍‌ର ଆଦର ବଢ଼େ । ତେବେ ଏହି ସମୟରେ ଆମ୍ବ, ପଣସ, ସପୁରି ଆଦି ସୁସ୍ବାଦୁ ଫଳଗୁଡ଼ିକ ପ୍ରକୃତିବକ୍ଷରୁ ମିଳିଥାଏ । ସେହିପରି ଗ୍ରୀଷ୍ମ ସନ୍ଧ୍ୟାରେ ମଲ୍ଲୀ, ରଜନୀଗନ୍ଧା ହେନା ଫୁଲର ମହକ ପଲ୍ଲୀପ୍ରାଣକୁ ଆମୋଦିତ କରେ ।

ଗ୍ରୀଷ୍ମଋତୁରେ ପଣାସଂକ୍ରାନ୍ତି, ଅକ୍ଷୟତୃତୀୟା, ଚନ୍ଦନଯାତ୍ରା, ରଜପର୍ବ, ସାବିତ୍ରୀ ଅମାବାସ୍ୟା ଭଳି ପର୍ବଗୁଡ଼ିକ ଶୁଷ୍କ ପଲ୍ଲୀପ୍ରାଣକୁ କିଛି ପରିମାଣରେ ସରସ, ସୁନ୍ଦର ଓ ଉପଭୋଗ୍ୟ କରିଥାଏ । ଗ୍ରୀଷ୍ମତାପରେ ଯେତେବେଳେ ପଲ୍ଲୀବକ୍ଷ ଅତିଷ୍ଠ ହୋଇଉଠେ ଠିକ୍ ସେତେବେଳେ ରଜଦୋଳି ଗୀତର ଗୁଞ୍ଜରଣ ମଧ୍ୟରେ ଆତ୍ମ ପ୍ରକାଶ କରେ ବର୍ଷା । ଅକ୍ଷୟତୃତୀୟାରେ ଚାଷୀଭାଇମାନେ ଜମିରେ ବିହନ ଅନୁକୂଳ କରନ୍ତି ଏବଂ ଚାଷ କାମ ଆରମ୍ଭ କରନ୍ତି । ଏହି ଗ୍ରୀଷ୍ମ ହିଁ ବର୍ଷାଋତୁର ଆନୟନକାରୀ । ଜଳକୁ ବାଷ୍ପୀଭୂତ କରି ତହିଁରୁ ମେଘ ସୃଷ୍ଟି କରୁଥିବାରୁ ଭକ୍ତକବି ଗ୍ରୀଷ୍ମଋତୁକୁ ଲକ୍ଷ୍ୟ କରି ଲେଖୁଛନ୍ତି –

“ ନିଦାଘ ସମୟ ହେଲେ ହେଁ ଦାରୁଣ

ଅଟେ ଜଗତର ମିତ୍ର

ଜନମାଇ ମେଘ ସାଧେ ପ୍ରାଣୀହିତ

ବିଧି –ବିଧାନ—ବିଚିତ୍ର ।”

Summer Season

Also Read:-

Leave a Comment