ଶୀତଋତୁରେ ପଲ୍ଲୀର ଦୃଶ୍ୟ | Winter Season- Best Odia Essay

Winter Season

ଉପକ୍ରମ :

ସାଧାରଣତଃ ପୌଷ ଓ ମାଘ ମାସ ଦ୍ବୟ ଶୀତଋତୁ ରୂପେ ଗୃହୀତ ହୋଇଥାଏ ଇଂରାଜୀ ମାସ ଅନୁସାରେ ଏହା ନଭେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇ ଜାନୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଅନୁଭୂତ ହୁଏ । ଶୀତକାଳର ଆଗମନରେ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହିତ ହୁଏ । ଆକାଶ ନିର୍ମଳ ହୋଇଯାଏ । ପଲ୍ଲୀ ବକ୍ଷରେ ଶୀତପ୍ରବାହ ବେଶ୍ ଅନୁଭୂତ ହୁଏ । ରାସ୍ତାଘାଟ ଶୁଷ୍କ ହୋଇଯାଏ । ମାଘମାସର ଶୀତ ବାଘଭଳି ମାଡ଼ିଆସେ । ନଦୀ ପୋଖରୀର ଜଳ ଖୁବ୍‌ ଶୀତଳ ହୋଇଉଠେ । ତୈଳାକ୍ତ ବସ୍ତୁଗୁଡ଼ିକ କଠିନତା ପ୍ରାପ୍ତ ହୁଏ । ପଲ୍ଲୀରେ ଲୋକେ ଶୀତକଷ୍ଟ ସହି ନ ପାରି ଉମେଇ ଜାଳି ନିଆଁ ପୁଆଁନ୍ତି । ଗରିବ ଶ୍ରେଣୀର ଲୋକମାନେ ଶୀତକାଳକୁ ଅତିକଷ୍ଟର ସହ ସହ୍ୟ କଲାବେଳେ ଧନୀ ଶ୍ରେଣୀର ଲୋମେ ଶାଲ, କମ୍ବଳ ବ୍ୟବହାର କରି ଏହି ଋତୁକୁ ଉପଭୋଗ କରନ୍ତି ।

ଶୀତଋତୁର ବର୍ଣ୍ଣନା :

ଶୀତ ସକାଳର ଦୃଶ୍ୟ ପଲ୍ଲୀପ୍ରାଣରେ ଖୁବ୍ ଆନନ୍ଦଦାୟକ । ସୂର୍ଯ୍ୟାଲୋକ ଧରଣୀ ସ୍ପର୍ଶ କଲାମାତ୍ରେ ଆବାଳ-ବୃଦ୍ଧ-ବନିତା ଏହାକୁ ଉପଭୋଗକରି ଶୀତକଷ୍ଟ ଦୂର କରିଦେଇଥାନ୍ତି । ବିଶେଷକରି ଶୀତଋତୁ ଫସଲ ଅମଳର ଋତୁଭାବେ ପରିଗଣିତ ଏହି ଋତୁରେ ପନିପରିବା, ଫଳମୂଳରେ ବାଡ଼ିବଗିଚା ହସିଉଠେ ଶସ୍ୟକ୍ଷେତ୍ରଗୁଡ଼ିକ ପକ୍ବ ଶସ୍ୟ ସମ୍ଭାରରେ ହସିଉଠୁ ଥାଏ । ଆଳୁ, କୋବି, ବାଇଗଣ, ଟମାଟୋ, ମୂଳା ଭଳି ପରିବାଗୁଡ଼ିକ ଖୁବ୍ ଶସ୍ତା ଓ ପ୍ରଚୁର ପରିମାଣରେ ମିଳେ ପଲ୍ଲୀର କୃଷକ ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ଦା’ ଧରି କ୍ଷେତକୁ ବାହାରିଯାଏ । ଶୀତକାଳୀନ ଅପରାହ୍ନ ବେଶ୍ ଉପଭୋଗ୍ୟ । ଶିଶୁମାନଙ୍କୁ କ୍ରୀଡ଼ା କସରତ କରିବାକୁ ବେଶ୍ ସୁନ୍ଦର ପରିବେଶ ମିଳିଥାଏ । ଅବଶ୍ୟ ଶୀତଋତୁରେ ପଲ୍ଲୀର ରାତ୍ରି ଖୁବ୍ ନିସ୍ତବ୍‌ଧ ହୋଇଉଠେ ଶୀତକଷ୍ଟରେ ଲୋକେ ପଦାକୁ ବାହାରନ୍ତି ନାହିଁ । ଶୀତକାଳରେ ଦିନଗୁଡ଼ିକ ଛୋଟ ଓ ରାତ୍ରିବଡ଼ ହୋଇଥାଏ । ଏହି ସମୟ ଶୁଷ୍କ ଓ ନିରସବୋଧ ହୋଇଥିଲେ ହେଁ ଗ୍ରୀଷ୍ମ ଋତୁଭଳି ପ୍ରାଣୀପୀଡ଼କ ହୋଇନଥାଏ ବରଂ କର୍ମ କରିବାର ଉତ୍ସାହ ମଧ୍ୟରେ ପଲ୍ଲୀ କୃଷକ ଶୀତକଷ୍ଟକୁ ଆନନ୍ଦରେ ବରଣ କରିନିଏ ।

ଶେଷକଥା :

ଶୀତକାଳରେ ପଲ୍ଲୀରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ପ୍ରଥମାଷ୍ଟମୀ, ଶାମ୍ବଦଶମୀ, ମକରସଂକ୍ରାନ୍ତି, ମାଣବସା ଗୁରୁବାର ଓଷାଗୁଡ଼ିକ ପଲ୍ଲୀପ୍ରାଣକୁ ଧାର୍ମିକଭାବନାରେ ଭରପୂର କରିଦିଏ । ପରିଶେଷରେ ବିଦ୍ୟାଳୟଗୁଡ଼ିକରେ ଶ୍ରୀପଞ୍ଚମୀ ବା ସରସ୍ଵତୀପୂଜାର ଆବାହନୀ ମଧ୍ୟରେ ଧରାବକ୍ଷରେ ବସନ୍ତର ଆଗମନ ପାଇଁ ଦ୍ବାର ଉନ୍ମୁକ୍ତ କରି ଶୀତ ବିଦାୟ ନିଏ । ଅବଶ୍ୟ ଶୀତଋତୁ ଦରିଦ୍ର ପଲ୍ଲୀବାସୀ ନିମନ୍ତେ କଷ୍ଟଦାୟକ ହୋଇଥାଏ, କିନ୍ତୁ ଖାଦ୍ୟଦ୍ରବ୍ୟର ପ୍ରାଚୁର୍ଯ୍ୟ ତଥା ଲକ୍ଷ୍ମୀଦେବୀଙ୍କ ଆରାଧନାଯୋଗୁଁ ଏହି ଋତୁ ପଲ୍ଲୀ ପ୍ରାଣରେ ସ୍ବାଗତଯୋଗ୍ୟ ଆସନ ଲାଭ କରିଥାଏ ।

Winter Season

Leave a Comment